୨୩ରୁ ୫ମ ‘ସ୍ନୋ ଫେଷ୍ଟ’ ଯୁବ ମହୋତ୍ସବ
ବାଲେଶ୍ୱର : ଆସନ୍ତା ୨୩ ତାରିଖରୁ ବାଲେଶ୍ୱରରେ ଆରମ୍ଭ ହେଉଥିବା ୫ମ ଯୁବ ମହୋତ୍ସବ ସ୍ନୋ’ଫେଷ୍ଟ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରେ ତିନିଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ସବ କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି ।
ଏଥିରେ ସବ-ଜୁନିୟର, ଜୁନିୟର ଓ ସିନିୟର ଆଦି ୩ ବର୍ଗର ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ କୌଣସି ଏଣ୍ଟ୍ରି ଫି’ ଲାଗିବ ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି । ପ୍ରଥମଥର ପାଇଁ ଚଳିତ ବର୍ଷ ଉତ୍ସବରେ ୪୦ ବର୍ଷରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ନେଇ କପଲ ରାମ୍ପ ଓ ଶିଶୁ-ମାଆ ରାମ୍ପ ଆନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏଥି ସହିତ ଅନୁଷ୍ଠାନ ପକ୍ଷରୁ ଲଟେରୀ ଉଠାଣ ହେବ । ବିନା ଖର୍ଚ୍ଚରେ କେବଳ ନାମ ପୂରଣ କରି ଲୋକେ ଫର୍ମକୁ ଗୋଟିଏ ବାକ୍ସରେ ପକାଇବେ । ଏଥିରେ ମୋଟ ୩ ଗୋଟି ପୁରସ୍କାର ପ୍ରଦାନ କରାଯିବ ।
ସେହିଭଳି ଚଳିତବର୍ଷ ଉତ୍ସବର ସଂଧ୍ୟା କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗ ଦେଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର ଖ୍ୟାତନାମା କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ ସହ ଲୋକଙ୍କ ମନୋରଂଜନ କରିବେ ବୋଲି ଅନୁଷ୍ଠାନର ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ସଂଖାରେ ଅଂଶଗ୍ରହଣ ପୂର୍ବକ ସ୍ନୋ ଫେଷ୍ଟ ମହୋତ୍ସବକୁ ସଫଳ କରିବା ପାଇଁ ଅନୁଷ୍ଠାନର ସଭାପତି ଶୁଭମ ସାଇ ମହାପାତ୍ର, ଉପ-ସଭାପତି ଅଭିଜିତ ବିଶ୍ୱାଳ, ବିଶ୍ୱଜିତ ନାୟକ ଓ ଅନୀଲ କୁମାର ପଣ୍ଡା, ସାଧାରଣ ସମ୍ପାଦକ ବ୍ୟାସଦେବ ରଣା, ସହ ସାଧାରଣ ସମ୍ପାଦକ ରୁମା ଯୋଶେଫ, ଯୁଗ୍ମ ସମ୍ପାଦକ ସମରଜିତ ପାତ୍ର ଓ ଦେବାଶିଷ ନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଦୁଭୂଷଣ ପାଣିଗ୍ରାହୀ, ବିଶ୍ୱଜିତ ଚାନ୍ଦ, ଅନୁରାମ ବେରା, ବିଷ୍ଣୁ କୁମ।।ର ଦାସ, ଅରୁଣ କୁମାର, ଚନ୍ଦନ ପଢ଼ିଆରୀ, ଅଭିଷେକ ବାରିକ, କୁଶାଲ ଶର୍ମା, ନେହା ଅଗ୍ରୱାଲ, ନିର୍ମଳ ନାୟକ, ସୁଶାନ୍ତ କୁମାର ବେଜ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀେ ଉପସ୍ଥିତ ଥିଲେ ।
