୨ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ୩୫୮୩ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ
- ନୂଆ ସହଭାଗୀ କ୍ଷେତ୍ର ଚିହ୍ନଟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ୫ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ୫ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ କରିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରଥମ ଦୁଇବର୍ଷରେ ମିଶନ ଶକ୍ତି ବିଭାଗ ୩୫୮୩ କୋଟି ଟଙ୍କାର ବ୍ୟବସାୟ ବିଭିନ୍ନ ବିଭାଗରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ସଂଯୋଜିତ କରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣା ପଡ଼ିଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତିକେୟନ୍ ଏ ସମ୍ବନ୍ଧିତ ବିଷୟ ଏବଂ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟବସାୟରେ ସାମିଲ୍ କରିବା ଦିଗରେ ବିଭିନ୍ନ ବିଭାଗମାନେ ବର୍ତମାନ ପର୍ଯ୍ୟନ୍ତ ନେଇଥିବା ପଦକ୍ଷେପର ସମୀକ୍ଷାକରି ସହଭାଗିତା ନିମନ୍ତେ ନୂଆ ପ୍ରକଳ୍ପ ପ୍ରସ୍ତୁତ କରିବା ସହ ଅଧିକରୁ ଅଧିକ ଗୋଷ୍ଠୀଙ୍କୁ ଏଥିରେ ସଂପୃକ୍ତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ପ୍ରାଥମିକ ସ୍ୱାସ୍ଥ୍ୟ, ଗ୍ରାମ ପଂଚାୟତ ପୋଖରୀରେ ମାଛ ଚାଷ, କୁକୁଡ଼ା ପାଳନ, ପଶୁପାଳନ, ବ୍ୟବସାୟିକ ଭିତିରେ ପନିପରିବା ଚାଷ, କୃଷି ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଚାରା ପ୍ରସ୍ତୁତି ନର୍ସରୀ, ବୃକ୍ଷ ରୋପଣ, ଚଣା ଓ ମାଣ୍ଡିଆ ଭିତିକ ଦ୍ରବ୍ୟ ପ୍ରସ୍ତୁତି, କୃଷି-ଉଦ୍ୟୋଗ, ଆଶ୍ରମ ବିଦ୍ୟାଳୟ ମାନଙ୍କୁ ଖାଦ୍ୟ ଦ୍ରବ୍ୟ ଓ ପନିପରିବା ଯୋଗାଣ, ପାଇପ୍ ଜଳ ଯୋଗାଣ ପ୍ରକଳ୍ପରେ ଜଳ ଯୋଗାଣର ତଦାରଖ, ଇକୋ-କ୍ୟାମ୍ପ ପରିଚାଳନା ଆଦି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ମିଟର ରିଡିଂ ଏବଂ ବିଦ୍ୟୁତ ଦେୟ ଆଦାୟ କାର୍ଯ୍ୟରେ ଅଧିକରୁ ଅଧିକ ଗୋଷ୍ଠୀଙ୍କୁ ସାମିଲ୍ କରିବା ପାଇଁ ବିଦ୍ୟୁତ ବିତରକ କଂପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥଲା ।
ଏହାଛଡ଼ା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ପଥ୍ୟ ଯୋଗାଣ, କୃଷି ବିଭାଗର ପୃଷ୍ଟି ବଗିଚା ସୃଷ୍ଟି, ସାର ଓ ଖତ ପିଟ୍ ନିର୍ମାଣ, ଜଳ ସାଥୀ ଏବଂ ସ୍ୱଚ୍ଛ ସାଥୀ ଆଦି କାର୍ଯ୍ୟରେ ମହିଲା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ୍ କରିବାର ସମ୍ଭାବନା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗମାନେ ଅଧିକରୁ ଅଧିକ ପ୍ରକଳ୍ପ ଓ କାରବାର ଏହି ଗୋଷ୍ଠୀମାନଙ୍କ ମାଧ୍ୟମରେ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର ସ୍ଥିତ ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନ ପରିସରରେ ମିଶନ ଶକ୍ତି ବଜାର ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଏହା ମାଧ୍ୟମରେ ବର୍ଷ ତମାମ ଏହି ଗୋଷ୍ଠୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୀର ସୁବିଧା ସୃଷ୍ଟିହେବ ଏବଂ ଜନସାଧାରଣ ମଧ୍ୟ ଉପଯୁକ୍ତ ଦାମରେ ବିଭିନ୍ନ ଉତ୍ପାଦ ପାଇ ପାରିବେ । ଅନ୍ୟାନ୍ୟ ପ୍ରମୁଖ ସ୍ଥାନମାନଙ୍କରେ ଏପରି ବଜାର ଖୋଲିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
