ପଥର ବ୍ଲାଷ୍ଟିଂ ବେଳେ ଅଘଟଣ, ଚାପି ହୋଇ ମାମୁଁ- ଭଣଜା ମୃତ
ମୋହନା : ପଥର ବ୍ଲାଷ୍ଟିଙ୍ଗ ବେଳେ ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ବନ୍ଧଗୁଡା କ୍ରସର ନିକଟରେ । ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଝରେଡି ରାଧା ଗୋବିନ୍ଦପୁର ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ପ୍ରସାଦ ନୟକ ବୋଲି ଜଣାପଡିଛି। ମୃତ୍ୟୁ ବରଣ କରିଥିବା ଦୁଇ ଜଣ ଶ୍ରମିକ ସମ୍ପର୍କରେ ମାମୁ ଓ ଭଣଜା ହେବେ ବୋଲି ସୂଚନା ମିଳିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି । ପଥର ବ୍ଲାଷ୍ଟିଂ ପରେ ଏକ ବିଶାଳ ପଥର ୨ ଜଣଙ୍କ ଉପରେ ଚାପି ହୋଇ ଯିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି । ତେବେ, ଉଭୟଙ୍କ ପତ୍ତା ଏ ଯାଏଁ ମିଳିନି।
ସୂଚନା ଅନୁସାରେ, ଗଜପତି ଜିଲ୍ଲା ମୋହନା ଥାନା ବନ୍ଧଗୁଡା କ୍ରସର ନିକଟରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ ଟାରେ ପଥର ବ୍ଲାଷ୍ଟି ଚାଲିଥିଲା। ଏହି ସମୟରେ ଉଭୟ ମାମୁ ଭଣଜା ଏକ ବଡ଼ ପଥର ପଛ ପଟେ ବସି ବ୍ଲାଷ୍ଟିଂ ପରିଚାଳନା କରୁଥିଲେ । ବ୍ଲାଷ୍ଟିଂ ପରେ ଏକ ବିଶାଳ ପଥର ଦୁଇ ଜଣଙ୍କ ଉପରେ ଚାପି ହୋଇଯାଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏବେବି ଉଭୟ ମାମୁ ,ଭଣଜା ପଥର ତଳେ ଚାପି ହୋଇ ରହିଥିବା ଜଣାପଡି଼ଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ପଥର କ୍ରସର ଭିତରୁ ଖୋଜୁଛି ପୋଲିସ୍ । କିନ୍ତୁ ଏ ଯାଏଁ ୨ ମୃତଦେହର ପତ୍ତା ମିଳିନି।
