ବାଲେଶ୍ଵର : ସିରିଜ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଜଳେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ଅମ୍ବାଳିଅଠା ନିକଟରେ ସିରିଜ ଦୁର୍ଘଟଣା। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏକ ଡ଼ମ୍ଫର ଓ ଧାନ ବୋଝେଇ ଟାଟା ଏସିଇ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଅନ୍ୟପଟେ ଚନ୍ଦନେଶ୍ୱର ପଟୁ ଆସୁଥିବା ଏକ ଅଲ୍ଟୋ କର ମଧ୍ୟ ଡ଼ମ୍ଫରକୁ ପିଟି ହୋଇଥିଲା । ଫଳରେ ଟାଟା ଏସିଇ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ଘଟିଛି । ଏନେଇ ସାଧାରଣ ଲୋକେ ଉତ୍ୟକ୍ତ ହୋଇ ଡ଼ମ୍ଫର ଡ୍ରାଇଭରର ହାତ ଗୋଡ଼ ବାନ୍ଧି ଦେଇଥିଲେ । ଖବରପାଏ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭର ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ସମୟରେ ଚନ୍ଦନେଶ୍ୱର ଆଡୁ ଆସୁଥିବା ଏକ ଦ୍ରୁତଗାମୀ ଡମ୍ପର (ନଂ. ଓଆର୍୦୧ଏଚ୍-୯୯୯୫) ଏକ ଧାନ ବୋଝେଇ ମହେନ୍ଦ୍ର ପିକ୍ଅପ୍ (ନଂ. ଓଡ଼ି୦୧ଟି-୧୩୭୩)କୁ ସାମ୍ନାପଟୁ ମ୍ୟୁନିସିପାଲଟିର ବାରାହାଗଡ଼ିଆ ନିକଟରେ ଚଢ଼ି ଯାଇଥିଲା । ଏଥିରେ ଆରୁହା ଗ୍ରାମର ଗାଡ଼ି ଚାଳକ କୁଳମଣି ବେହେରା (୩୦) ଓ ଗାଡ଼ିରେ ସେହି ଗ୍ରାମର ଚାଷୀ ନିଜର ଧାନ ବିକିବାକୁ ଯାଉଥିବା ସିଦ୍ଧେଶ୍ୱର ବେହେରା (୫୫) ଘଟଣା ସ୍ଥଳରେ ଚାପି ହୋଇ ମୃତ୍ୟୁବରଣ କରିଥିଲେ । ଅନ୍ୟଏକ ଅଲଟୋ କାର୍ (ନଂ. ଓଡ଼ି୦୧ୱାଇ-୫୫୨୭) ଭାରସାମ୍ୟ ହରାଇ ଡମ୍ପର ସହିତ ପଛପଟୁ ବାଡ଼େଇ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଥିରେ ବସିଥିବା ଜଣେ ରୋଗୀ ଓ ଚାଳକ ଗୁରୁତର ହୋଇ ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ଉତ୍ତ୍ୟକ୍ତ ଲୋକେ ଡମ୍ପର ଡ୍ରାଇଭରକୁ ମାରପିଟ କରିବାପରେ ପୋଲିସ୍ ଆସି ତାକୁ ଉଦ୍ଧାର କରି ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଆରୁହା ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନ ଆସି କ୍ଷତିପୂରଣ ଦାବିରେ ୫୭ନଂ. ରାଜ୍ୟ ରାଜପଥକୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ । ଘଟଣାସ୍ଥଳରେ ଜଳେଶ୍ୱର ଆଇଆଇସି ପର୍ଶୁରାମ ସାହୁ, ଏସଡ଼ିପିଓ ଅଙ୍କିତା କୁମ୍ଭାର ଓ ତହସିଲଦାର ଶଙ୍କର ପଟ୍ଟନାୟକ ଉପସ୍ଥିତ ରହି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ୍ରୁ ପ୍ରତ୍ୟେକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ମୃତକଙ୍କ ପରିବାର ପକ୍ଷରୁ ଜଳେଶ୍ୱର ଥାନାରେ ଏତଲା ପ୍ରଦାନ କଲାପରେ ଶବ ବ୍ୟବଚ୍ଛେଦ କରାଯାଇଛି । ସୂଚନାଯୋଗ୍ୟ ଏହି ରାସ୍ତାରେ ବହୁ ଦୁର୍ଘଟଣା ଘଟି ଧନଜୀବନ ଘଟୁଥିଲେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟରେ ଏକ ହମ୍ପସ୍ ନିର୍ମାଣ ଲାଗି ବିଭାଗୀୟ ଯନ୍ତ୍ରୀ, ଜିଲାପାଳଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ହମ୍ପସ୍ ନିର୍ମାଣ ହେଉନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।


