ଡଗରା ବେଳାଭୂମି ବିଶ୍ୱରେ ଏକ ଅନନ୍ୟ ବେଳାଭୂମି
୧୯ତମ ଡଗରା ବେଳାଭୂମି ମହୋତ୍ସବ ଉଦ୍ଘାଟିତ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ଡଗରା ବେଳାଭୂମି ୨୪କିଲୋମିଟର ପରିବ୍ୟାପ୍ତ ଅଗଭୀର ସମତଳ ବେଳାଭୂମି । ସମୁଦ୍ର ଜଳ ରାଶିରେ ମାଳ ମାଳ ଲହଡ଼ି, ଧାଡ଼ି ଧାଡ଼ି ଝାଉଁ ବିଥିକା, ନାଲି ଗାଲିଚା ସଦୃଶ୍ୟ ମାଳ ମାଳ ନାଲି କଙ୍କଡ଼ାଙ୍କ ସମାବେଶ ସର୍ବୋପରି ଏହାର କାନ୍ତ କମନୀୟ ପରିବେଶ ପର୍ଯ୍ୟଟନ ପାଇଁ ଉତ୍କୃଷ୍ଟ ବୋଲି ଶନିବାର ସନ୍ଧ୍ୟାରେ ୧୯ ତମ ଡଗରା ବେଳାଭୂମି ମହୋତ୍ସବକୁ ଉଦ୍ଘାଟନ କରି ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି । ଭାରତ ସରକାରଙ୍କ ଜଙ୍ଗଲ କିସମ ଜାଗା ଓ ସି ଆର ଜେଡ ମଧ୍ୟରେ ଏହା ରହୁଥିବାରୁ ଏହାର ବିକାଶ ତ୍ୱରାନ୍ୱିତ ହେଉ ନାହିଁ । କିନ୍ତୁ ଖୁବ୍ଶୀଘ୍ର ଏହିସବୁ ପ୍ରତିବନ୍ଧକ ଦୂର ହୋଇ ଏହାର ବିକାଶ ଆଗକୁ ବଢ଼ିବ ବୋଲି ସେମାନେ ମଧ୍ୟ କହିଛନ୍ତି ।
ଉତ୍ସବ କମିଟି ସଭାପତି ଅଧ୍ୟାପକ ଡ. ସୁକାନ୍ତ ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା ଉଦଘାଟିକା, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ମୁଖ୍ୟ ଅତିଥି, ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ ମୁଖ୍ୟ ବକ୍ତା ,ସମାଜସେବୀ ସୁମନ୍ତ କୁମାର ଜେନା, ୨୨ ନଂ. ଜିଲା ପରିଷଦ ସଦସ୍ୟ ନିଶାକର ସେଠୀ, ୨୩ ନଂ. ଜିଲା ପରିଷଦ ସଦସ୍ୟ ବେଣୁଧର ଜେନା, ଡଗରା ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ନିତ୍ୟାନନ୍ଦ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉତ୍ସବ କମିଟିର ସଭ୍ୟ ଅମରେନ୍ଦ୍ର ଦାସ ମଞ୍ଚ ଆହ୍ୱାନ, ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କୁମାର ପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ, ସମ୍ପାଦକ ସୁବଳ ଚନ୍ଦ୍ର ଦାସ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସଭ୍ୟ ଆଇନଜୀବୀ ଅର୍ଦ୍ଧେନ୍ଦୁ ବାରିକ, ଗୋପ ନାରାୟଣ ଜେନା, ବିମଳ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ । ପ୍ରାରମ୍ଭରେ ବେଳାଭୂମି ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ପ୍ରଣବ କୁମାର ସାହୁଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାଥନା କରାଯାଇଥିଲା । କମିଟିର ବରିଷ୍ଠ ସଭ୍ୟ ରବି ରଞ୍ଜନ ତ୍ରିପାଠୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଜୟ କୁମାର ଘୋଷ ଓ ତାଙ୍କ ସହଯୋଗୀମାନେ ପାଲା ପରିବେଷଣ କରୁଥିବା ବେଳେ ଡଗରା ଅନନ୍ତ ବଳିଆ ନୃତ୍ୟ ସଙ୍ଗୀତ ବିଦ୍ୟାଳୟର ଗୁରୁ ହରିପଦ ଦାସ ଓ ଅନ୍ୟ କଳାକାରମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । ରାଜ୍ୟ ସଂସ୍କୃତି ବିଭାଗ ର ନୃତ୍ୟ ଦଳ କାର୍ଯ୍ୟକ୍ରମରେ ମନୋରମ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ମେଲୋଡ଼ି କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା ।
