ମା’ ଭୂଧାରଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା; ପ୍ରତିଦିନ ସ୍ୱତନ୍ତ୍ର ନୀତିକାନ୍ତି ସହ ବିଭିନ୍ନ ବେଶ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ସଜନାଗଡ଼ର ପ୍ରତିଷ୍ଠିତ ଦେବୀ ମା’ ଭୂଧାରଚଣ୍ଡୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା । ଗତ ଶନିବାର ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ଶାରଦୀୟ ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ଚାଲିବ । ଷୋଳ ପୂଜା ପାଇଁ ଦେବୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି । ପ୍ରତ୍ୟେକ ଦିନ ସ୍ୱତନ୍ତ୍ର ନୀତିକାନ୍ତି ସହ ମା’ ବିଭିନ୍ନ ବେଶରେ ସୁସଜ୍ଜିତ ହେଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ମା’ଙ୍କୁ ବିଭିନ୍ନ ବେଶରେ ପ୍ରତିଦିନ ସୁବାସିତ ଜଳରେ ହଳଦୀ, ଚୁଆ, ଅଗୁର, ଶ୍ରୀକର୍ପୂର, ଚନ୍ଦନ ପ୍ରଭୃତି ପକାଯାଇ ମନ୍ତ୍ରପାଠ ଦ୍ୱାରା ଶୋଧନ କରି ସହସ୍ର କୁମ୍ଭାଭିଷେକ ଜଳରେ ମା’ଙ୍କୁ ସ୍ନାନ ଓ ସୁସଜ୍ଜିତ କରାଯାଇଥାଏ । ମୁଖ୍ୟ ପୂଜକ ଭାବେ ବିଜୟ କୁମାର ପଣ୍ଡା ପୂଜା ପରିଚାଳନା କରିଥାନ୍ତି । ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ମା’ ଭୂଧାରଚଣ୍ଡୀ ମହିଷାସୁରକୁ ବଧ କରିବାକୁ ବ୍ରହ୍ମା କୁଣ୍ଡରୁ ଜାତ ହୋଇଥିବା ବିଶ୍ୱାସ ଥିବାରୁ,ଏହି ପରମ୍ପରାରେ ପ୍ରତ୍ୟେକ ବର୍ଷ ପୂଜାବିଧି ହୋଇ ଆସୁଛି । ଅକ୍ଟୋବର ୧ରେ ସପ୍ତମୀ ପୂଜା ଓ ୨ରେ ଅଷ୍ଟମୀ ପୂଜା ସହ ୩ରେ ନବମୀ ପୂଜା ଦିନ ସନ୍ଧ୍ୟାରେ ନୀଳଗିରି ରାଜାସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ପୂଜକ ମାଧ୍ୟମରେ ପୂର୍ଣ୍ଣାହୁତି କରାଇଥାନ୍ତି । ୪ତାରିଖ ଦଶହରାରେ ମା\’ ଭୂଧାରଚଣ୍ଡୀ ଶାରଦୀୟ ପାର୍ବଣ ଘଟକୁ ବିସର୍ଜନ ଦେବାପରେ ପୂଜାରୀ ଘଟକୁ ମୁଣ୍ଡରେ ମୁଣ୍ଡାଇ ବାଜା ଢୋଲ ମହୁରୀ ବଜାଇ ମା’ଙ୍କ ସର୍ଦ୍ଦାର ଚକ୍ରଧର ଦାସବାବୁ ଓ କିଛି ଶ୍ରଦ୍ଧାଳୁ ସଜନାଗଡ଼ ପୀଠରୁ ବାହାରି ନୀଳଗିରି ରାଜବାଟୀ ସ୍ଥିତ କନକ ଦୁର୍ଗା ମନ୍ଦିରରେ ପହଞ୍ଚାଇଥାନ୍ତି ।
