୧୫ତମ ଅନ୍ତର୍ଜାତୀୟ ଫାୟର ଶୋ’: ସର୍ବଭାରତୀୟ ସ୍ତରରେ ଓଡ଼ିଶା ଅଗ୍ନିଶମ ବିଭାଗ ନମ୍ବର ୧
ଭୁବନେଶ୍ବର : ୧୫ତମ ଅନ୍ତର୍ଜାତୀୟ ଫାୟର ଶୋ’ରେ ଉପଲବ୍ଧି ହାସଲ କରିଛି ଓଡ଼ିଶା । “ଫାୟର ଇଣ୍ଡିଆ ୨୦୨୧” ନାମରେ ଦିଲ୍ଲୀ ନୋଏଡ଼ାର ଏକ୍ସପୋ ସେଣ୍ଟରରେ ଏହି ଅନ୍ତର୍ଜାତୀୟ ଫାୟର ଶୋ’ ଚାଲିଥିଲା । ଏଥିରେ ସର୍ବଭାରତୀୟ ସ୍ତରରେ ନମ୍ବର ୧ ହେଲା ଓଡ଼ିଶା ଅଗ୍ନିଶମ ବିଭାଗ ।
ଇନ୍ଷ୍ଟିଚ୍ୟୁସନ ଅଫ୍ ଫାୟାର ଇଞ୍ଜିନିୟର୍ସ ପକ୍ଷରୁ ଗତ ଡିସେମ୍ବର ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଏହି ଶୋ’ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୨୧ର ଓଡ଼ିଶାକୁ ସର୍ବୋତ୍ତମ ଅଗ୍ନିଶମ ସେବା ଭାବରେ ବିବେଚିତ କରାଯାଇଛି । ଏଥିପାଇଁ ସ୍ବତନ୍ତ୍ର ଭାବରେ ଏକ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ବାତ୍ୟା ଏବଂ ବନ୍ୟା ସମୟରେ ଓଡ଼ିଶା ତଥା ଭାରତର ବିଭିନ୍ନ ସ୍ଥାନରେ ଓଡ଼ିଶା ଅଗ୍ନିଶମ ବିଭାଗ ଉଚ୍ଚ ମାନର କାର୍ଯ୍ୟ କରି ଦେଖାଇଛି । ଏହି ତାଲିକାର ଦ୍ବତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ ଅଗ୍ନିଶମ ବିଭାଗ । ଏହାକୁ ନେଇ ଇନ୍ଷ୍ଟିଚ୍ୟୁସନ ଅଫ୍ ଫାୟାର ଇଞ୍ଜିନିୟର୍ସ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।
ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଲୋକସଂଖ୍ୟା ମୁତାବକ ଅଗ୍ନିଶମ କର୍ମଚାରୀ ନିୟୋଜିତ ରହିଛନ୍ତି । ଓଡ଼ିଶାରେ ସର୍ବାଧିକ ୩୪୨ ଜଣ ଫାୟର ଇଞ୍ଜିନିୟର ରହିଛନ୍ତି । ତା ସହିତ ଦେଶର ବା ରାଜ୍ୟର ଯେକୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରିଜର୍ଭ ଫୋର୍ସ ମଧ୍ୟ ପ୍ରସ୍ତୁତ ରଖିଛି ଓଡ଼ିଶା ।
