ରଥଯାତ୍ରା ପାଇଁ ବ୍ୟବହାର ହେବ ୧୫ଶହ ବୋଝ ହାଣ୍ଡିକୁଡ଼ିଆ
ପୁରୀ : ଚଳିତବର୍ଷ ରଥଯାତ୍ରାରେ ପ୍ରାୟ ୧୫ଶହ ବୋଝ ହାଣ୍ଡି କୁଡ଼ିଆ ବ୍ୟବହାର ହେବ ବୋଲି କୁମ୍ଭାକର ନିଯୋଗ ଆକଳନ କରିଛି । ଏହି ହାଣ୍ଡିକୁଡ଼ିଆ କୁମ୍ଭାରପଡ଼ା ଓ ଟିକରପଡ଼ାରୁ କିପରି ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ସୁରୁଖୁରୁରେ ପହଞ୍ଛି ପାରିବ ସେ ସମ୍ପର୍କରେ କୁମ୍ଭାକର ନିଯୋଗ ଓ ସୁପକାର ନିଯୋଗ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ସମସ୍ତ ହାଣ୍ଡିକୁଡ଼ିଆ କୁମ୍ଭକାର ନିଯୋଗ ଯୋଗାଇବ ।
କୁମ୍ଭକାର ନିଯୋଗର ସମ୍ପାଦକ ମହେନ୍ଦ୍ର କୁମାର ବିଶୋଇଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁପକାର ନିଯୋଗର ଯୁଗ୍ମ ସମ୍ପାଦକ ସେମାନାଥ ମହାପାତ୍ର, କୋଷାଧ୍ୟକ୍ଷ କ୍ରିଷ୍ଣା ପଣ୍ଡା, ହିସାବରକ୍ଷକ ବାବୁଲି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ରଥଯାତ୍ରା ସମୟରେ କୁମ୍ଭାରପଡ଼ା, ଜେନାପୁର, ଟିକରପଡ଼ା,ପୁରୀ ସଦର, ସତ୍ୟବାଦୀ, ବ୍ରହ୍ମଗିରି, ଗୋପ ଓ ଡ଼େଲାଙ୍ଗ ଅଂଚଳରୁ ହାଣ୍ଡିକୁଡ଼ିଆ କିପରି ସୁରୁଖୁରୁରେ ପରିବହନ ହୋଇପାରିବ ସେ ଦିଗରେ ଦୁଇ ନିଯୋଗ ଯତ୍ନବାନ ହେବା ପାଇଁ ଆଲୋଚନା ହୋଇଥିଲା । ବୈଠକରେ କୁମ୍ଭକାର ନିଯୋଗର ସଭାପତି ପିତାମ୍ବର ବିଶୋଇ,ବିଜୟ ବିଶୋଇ,ଦୋଳଗୋବିନ୍ଦ ବିଶୋଇ, ଅରକ୍ଷିତ ବିଶୋଇ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
