କମିଶନରେଟ୍ ପୋଲିସର ୧୪ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର : କମିଶନରେଟ୍ ପୁଲିସର ୧୪ତମ ପ୍ରତିଷ୍ଠା ଦିବସ ବୁଧବାର ପାଳିତ ହୋଇଯାଇଛି। ପୁଲିସ ସେବା ଭବନରେ କୋଭିଡ଼ କଟକଣା ମଧ୍ୟରେ ଏହା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁଲିସ ଡ଼ିଜି ସୁନୀଲ ବଂଶଲ ଭର୍ଚୁଆଲ୍ରେ ଯୋଗ ଦେଇ କହିଛନ୍ତି, ସଂଗଠିତ ଅପରାଧ, ବ୍ରାଉନସୁଗର ଜବତ ଓ ଅସ୍ତ୍ରଶସ୍ତ୍ର ଜବତ କରିବାରେ ନିକଟ ଅତୀତରେ କମିଶନରେଟ୍ ପୁଲିସ ଅନେକ ସଫଳତା ହାସଲ କରିଛି। ଟ୍ୱିନ୍ସିଟିରେ ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏଥିସହ ସାଇବର କ୍ରାଇମ୍ ଏକ ଚ୍ୟାଲେଞ୍ଜିଂ ପାଲଟିଛି। ଏହିସବୁ ଦିଗରେ କମିଶନରେଟ୍ ପୁଲିସ ସଫଳତାର ସହ କାର୍ଯ୍ୟ କରିଥିବା ନେଇ ଡ଼ିଜିପି ପ୍ରଂଶସା କରିଛନ୍ତି। ଏଥିସହ ଆଗାମୀ ଦିନରେ ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇବା ପାଇଁ ପୁଲିସ ଅଧିକାରୀଙ୍କୁ ଡ଼ିଜି ପରାମର୍ଶ ଦେଇଛନ୍ତି।
ସେହିପରି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଟ୍ୱିନ୍ସିଟିର ପୁଲିସ ଅଧିକାରୀଙ୍କ ସାମୂହିକ ବିକାଶ ପାଇଁ ନିକଟ ଅତୀତରେ ୪ଟି ଲେକ୍ଚର ସିରିଜ୍ କରାଯାଇଛି। ଏଥିସହ ଭୁବନେଶ୍ୱର-କଟକରେ ଏବେ ଜନସଂଖ୍ୟା ୨୫ଲକ୍ଷରେ ପହଞ୍ଚିଛି। ଦ୍ୱୈତନଗରୀର ବିକାଶ ଦୃତଗତିରେ ହେଉଛି । ଟ୍ରାଫିକ ବିଭିନ୍ନ ଶିଳ୍ପାନୁଷ୍ଠାନ, ଇକୋନୋମିକ୍ ଜୋନ୍ ସବୁ ଗଢ଼ି ଉଠିଛି। ଏଥିସହ ଭୁବନେଶ୍ୱର ଆଜି ସମଗ୍ର ଦେଶରେ ହକିର ହବ୍ ପାଲଟିଛି। ଯାହା ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରମଳରେ ଟ୍ୱିନ୍ସିଟିରେ ୫ଟି ଥାନା ଉଦ୍ଘାଟିତ ହୋଇଛି। ୩ଟି ଥାନାକୁ ଅପ୍ଗ୍ରେଡ଼ କରାଯାଇଥିବା ବେଳେ ୨ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଖୋଲାଯାଇଛି। ଏହି ଥାନା ଖୋଲିବା ଦ୍ୱାରା ସ୍ଥାନୀୟ ଜନସାଧାରଣମାନେ ସହଜରେ ସେବା ପାଇପାରିବେ। ଏଥିସହ କିଭଳି ସବୁ ଜନସାଧାରଣଙ୍କ ପାଖେ ପୁଲିସ ସେବା ପହଞ୍ଚିପାରିବ ସେନେଇ ଆମେ କାମ କରୁଛି ବୋଲି ସିପି କହିଛନ୍ତି।
ଏହି ଅବସରରେ କମିଶନରେଟ୍ ପୁଲିସର ଶ୍ରେଷ୍ଠ ଏସିପି ଭାବେ ମାନସ ରଞ୍ଜନ ଗଡ଼ନାୟକ, ଶ୍ରେଷ୍ଠ ସଶସ୍ତ୍ର ଅଫିସର(ବାଟାଲିଅନ) ଲୋଲା ଭିଜୟ ରତ୍ନମ୍, ଶ୍ରେଷ୍ଠ ମିନିଷ୍ଟ୍ରିଆଲ୍ ଅଫିସର ନିରଞ୍ଜନ ପ୍ରଧାନ(ଷ୍ଟେନୋ), ଶ୍ରେଷ୍ଠ ଟ୍ରାଫିକ୍ କର୍ମଚାରୀ ଭାବେ କନ୍ଷ୍ଟେବଳ ସୁଭ୍ରାଂଶୁ ଶେଖର ସାହୁ, ଶ୍ରେଷ୍ଠ ଏପିଆର୍ କନ୍ଷ୍ଟେବଳ ସୁରଥ ଚନ୍ଦ୍ର ବାହୁବଳେନ୍ଦ୍ର, ଶ୍ରେଷ୍ଠ ହୋମଗାର୍ଡ଼ ଭାବେ ସନ୍ତୋଷ କୁମାର ପ୍ରଧାନ, ଶ୍ରେଷ୍ଠ ସ୍ପେଶାଲ ପୁଲିସ ଅଫିସର ଭାବେ ବିକ୍ରମ କିଶୋର ମହାନ୍ତିଙ୍କୁ ପୁରସ୍କାର ଓ ଅର୍ଥରାଶି ପ୍ରଦାନ କରାଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଅତିରିକ୍ତ ପୁଲିସ କମିଶନର ନୀତିଶେଖର, ଡ଼ିସିପି(ଟି.ଟି) ସତୀଶ ଗଜଭିୟେ, ଭୁବନେଶ୍ୱର ଡ଼ିସିପି ଡ଼. ଉମାଶଙ୍କର ଦାଶ, କଟକ ଡ଼ିସିପି ପ୍ରତୀକ ସିଂ, ଟ୍ରାଫିକ ଡ଼ିସିପି ଏସ୍. ସୁଶ୍ରୀ, କ୍ରାଇମ୍ ଡ଼ିସିପି ମାୟାଧର ସେଠୀ, ଡ଼ିସିପି(ସିକ୍ୟୁରିଟି) ନିର୍ମଳ ଶତପଥୀଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ।
