ସାଢ଼େ ୪୮ ଲକ୍ଷଙ୍କୁ ୧୪୬ କୋଟି ଶୀତ ସହାୟତା, ଏହି ଦିନ ଖାତାକୁ ଟଙ୍କା ପଠାଇବେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ବୃଦ୍ଧି ପାଉଥିବା ଜାଡର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦ୍ୱାରା ଶୀତ ସହାୟତା ଘୋଷଣା କରାଯାଇଛି। ରାଜ୍ୟର ସାଢ଼େ ୪୮ ଲକ୍ଷ ଲୋକଙ୍କୁ ଶୀତ ସହାୟତା ଦିଆଯିବ। ଏଥିପାଇଁ ୧୪୬ କୋଟି ଟଙ୍କା ଖର୍ଚ୍ଚ ହେବ।
ରାଜ୍ୟରେ ଶୀତ ଲହରୀ ଏବଂ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶୀତ ପ୍ରବାହ ବେଳେ କେହି ଯେପରି ଖୋଲା ସ୍ଥାନରେ ଅସହାୟ ଭାବେ ନ ରୁହନ୍ତି, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ହିତାଧିକାରୀଙ୍କୁ କମ୍ବଳ କିଣିବା ବାବଦକୁ ୩୦୦ ଲେଖାଏଁ ଶୀତ ସହାୟତା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମଧୁବାବୁ ପେନସନ୍ ଓ ଜାତୀୟ ପେନସନ୍ ଯୋଜନାର ୪୮ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ସମୁଦାୟ ୧୪୬ କୋଟିର ଖର୍ଚ୍ଚ ବହନ କରିବେ। ଡିସେମ୍ବର ପହିଲାରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ୩୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ଟଙ୍କାରେ ହିତାଧିକାରୀମାନେ କମ୍ବଳ କିଣିବେ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତଥ୍ୟାନୁସାରେ ରାଜ୍ୟରେ ୪୮ ଲକ୍ଷ ୫୭ ହଜାର ମଧୁବାବୁ ପେନସନଭୋଗୀ ଅଛନ୍ତି। ଗଞ୍ଜାମରେ ସର୍ବାଧିକ ଦୁଇ ଲକ୍ଷ ୨୦ ହଜାର ଓ ଦେବଗଡରେ ସର୍ବନିମ୍ନ ୨୩ ହଜାର ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ୩୦ଟି ଜିଲ୍ଲାରେ ୮୫୫ଟି ରାତ୍ରି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଆବଶ୍ୟକ ପଡିଲେ ପଞ୍ଚାୟତ କାର୍ଯାଳୟ କିମ୍ବା ସ୍କୁଲକୁ ମଧ୍ୟ ରାତ୍ରି ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇଛି। ନଭେମ୍ବର ୩୦ ଓ ଡିସେମ୍ବର ପହିଲାରେ ମଧୁବାବୁ ପେନସନ ହିତାଧିକାରୀଙ୍କୁ କମ୍ବଳ ପାଇଁ ୩୦୦ ଲେଖାଏଁ ଟଙ୍କା ଦିଆଯିବ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ରାଜ୍ୟର ୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତାଠାରୁ କମ ରହିଛି। କୋରାପୁଟର ସିମିଳିଗୁଡାରେ ସର୍ବନିମ୍ନ ୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବିଶେଷ କରି ପାହାଡିଆ ଅଞ୍ଚଳରେ ପାରଦ ଖସୁଥିବା ଦେଖିବାକୁ ମିଳିଛି।
