୧୪ ବର୍ଷ ପରେ ସର୍ବୋଚ୍ଚ ସ୍ତରରେ ତୈଳ ଦର, ରାତାରାତି ବଢିଗଲା ଏତିକି ଟଙ୍କା
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୩୯ ଡଲାର ହୋଇଛି। ୨୦୦୮ ପରଠାରୁ ଅଶୋଧିତ ତୈଳର ସର୍ବୋଚ୍ଚ ମୂଲ୍ୟ। ସେହି ସମୟରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୪୭ ଡଲାର ଛୁଇଁଥିଲା।
ବିଶ୍ୱ ବଜାରକୁ ଇରାନର ଅଶୋଧିତ ଯୋଗାଣରେ ବିଳମ୍ବ ହେତୁ ୨୦୦୮ ପରଠାରୁ ତୈଳ ମୂଲ୍ୟ ସର୍ବୋଚ୍ଚ ସ୍ତରକୁ ବୃଦ୍ଧି ପାଇଛି। ଋଷ ତେଲ ଆମଦାନୀ ଉପରେ ଆମେରିକା ଏବଂ ୟୁରୋପୀୟ ସଂଘ କଟକଣା ଲାଗୁ କରିବାକୁ ବିଚାର କରୁଛନ୍ତି। ଯେଉଁଥିପାଇଁ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘଟିଛି। ରବିବାର ରାତି ୬ଟା ୫୦ ସୁଦ୍ଧା ବ୍ରେଣ୍ଟ ବ୍ୟାରେଲ ପିଛା ୧୧.୬୭ ଡଲାର କିମ୍ବା ୯.୯% ବୃଦ୍ଧି ପାଇ ୧୨୯.୭୮ ଡଲାରରେ ପହଞ୍ଚିଛି।
ରବିବାର ଏନବିସି ଟକ୍ ସୋ ମିଟ୍ ଦି ପ୍ରେସ୍ ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ, ଆମ ଦେଶକୁ ଋଷର ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବା ବିଷୟରେ ଆମେ ବର୍ତ୍ତମାନ ଆମର ୟୁରୋପୀୟ ଅଂଶୀଦାରମାନଙ୍କ ସହ ଆଲୋଚନା କରୁଛୁ। ବିଶ୍ୱରେ ତୈଳର ନିରନ୍ତର ଯୋଗାଣ ବଜାୟ ରଖିବା ନେଇ ମଧ୍ୟ ଯୋଜନା ଚାଲୁଛି। ବ୍ୟାଙ୍କ ଅଫ୍ ଆମେରିକାର ବିଶ୍ଳେଷକମାନେ ସୂଚାଇ ଦେଇଛନ୍ତି ଯେ, ଯଦି ଋଷର ତୈଳ ଉପରେ ବ୍ୟାନ ଲଗାଯାଏ, ତେବେ ବଜାରରେ ୫ ନିୟୁତ ବ୍ୟାରେଲ ତୈଳ ଅଭାବ ଦେଖାଦେଇପାରେ। ଫଳରେ ତୈଳ ମୂଲ୍ୟ ବ୍ୟାରେଲ ପିଛା ୨୦୦ ଡଲାର ପହଞ୍ଚିପାରେ। ଏହିପରି ପରିସ୍ଥିତିରେ ଗତ ୪ ମାସ ଧରି ଭାରତରେ ସ୍ଥିର ରହିଥିବା ପେଟ୍ରୋଲ ଡିଜେଲ ଦର ଖୁବଶିଘ୍ର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।
