୨୬/୧୧ ଆକ୍ରମଣକୁ ପୁରିଲା ୧୪ ବର୍ଷ ! ଜାଣନ୍ତୁ ଆତଙ୍କବାଦ ବିରୋଧରେ କ’ଣ ପଦକ୍ଷେପ ନେଇଛି ଭାରତ
୨୬/୧୧ ଆକ୍ରମଣକୁ ୧୪ ବର୍ଷ ପୁରିଛି। ତଥାପି ଆଜି ମଧ୍ୟ ୧୦ ପାକିସ୍ତାନୀ ଆତଙ୍କୀ ଯେଉଁ ଯନ୍ତ୍ରଣା ଦେଇ ଯାଇଛନ୍ତି, ତାହା ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ଆଖିକୁ ଛଳଛଳ କରିଦେଉଛି। ୨୦୦୮ ମସିହା ମୁମ୍ବାଇ ଆତଙ୍କୀ ହମଲାରେ ୯ ଆତଙ୍କୀଙ୍କ ସମେତ ୧୭୫ ଜଣଙ୍କର ମୃତ୍ୟୁ ହୋଇବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଜଣେ ଆତଙ୍କୀ କସାବକୁ ଗିରଫ କରିବା ପରେ ଫାଶୀ ଦିଆଯାଇଥିଲା। ଭାରତର ଆର୍ଥିକ ରାଜଧାନୀ ଉପରେ ହୋଇଥିବା ଏହି ଆତଙ୍କୀ ହମଲା କେବଳ ଭାରତ ନୁହଁ ବିଦେଶକୁ ମଧ୍ୟ ଦୋହଲାଇ ଦେଇଥିଲା। ତେବେ ୨୬/୧୧ ଆକ୍ରମଣ ପରେ ଭାରତ ପକ୍ଷରୁ ଆତଙ୍କବାଦ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି, ତାହା ଆସନ୍ତୁ ଜାଣିବା…
ସକ୍ରିୟ ହେଲା ନୌସେନା ଏବଂ ତଟରକ୍ଷୀ ବାହିନୀ :
ସମୁଦ୍ର ପଥରେ ଆସି ୧୦ ପାକିସ୍ତାନୀ ଆତଙ୍କୀ ମୁମ୍ବାଇ ଆସି ରକ୍ତର ହୋଲି ଖେଳିଥିଲେ। ତେଣୁ ୨୬/୧୧ ଆକ୍ରମଣ ପରଠାରୁ ସମୁଦ୍ର ପଥର ସୁରକ୍ଷାକୁ କଡାକଡି କରାଯାଇଛି। ସେଥିପାଇଁ ନୌସେନା ଏବଂ ତଟରକ୍ଷୀ ବାହିନୀଙ୍କୁ ଆକ୍ଟିଭ୍ କରାଯାଇଛି। ୨୦୦୮ରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଭାରତୀୟ ତଟରକ୍ଷୀ ବାହିନୀ ୩୦୦ରୁ ଅଧିକ ଉପକୂଳ ସୁରକ୍ଷା ଅଭ୍ୟାସ କରିଛି। ୨୦୧୯ରେ ସାମୁଦ୍ରିକ ତଦାରଖ ଏବଂ ବିସ୍ତୃତ ତଟବର୍ତ୍ତୀ ସମରାଭ୍ୟାସ କରାଯାଇଥିଲା। ଏବେ ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ ଏବଂ ସାମୁଦ୍ରିକ କାର୍ଯ୍ୟକଳାପରେ ଜଡିତ ଏଜେନ୍ସିମାନେ ମିଳିତ ଭାବେ ସମୁଦ୍ର ପଥ ଉପରେ କଡା ନଜର ରଖୁଛନ୍ତି।
ସାଗର ପ୍ରହରୀ ବଳ ପ୍ରତିଷ୍ଠା :
ମୁମ୍ବାଇ ଆକ୍ରମଣ ପରେ ସୁରକ୍ଷା ତ୍ରୁଟି ସୁଧାରିବା ଓ ଆତଙ୍କବାଦ ବିରୋଧୀ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଭାରତ ସରକାର ଅନେକ ସାହସିକ ପଦକ୍ଷେପ ନେଇଛନ୍ତି। ତତ୍କାଳୀନ ମନମୋହନ ସିଂ ସରକାରରେ ଗୃହମନ୍ତ୍ରୀ ଥିବା ପି ଚିଦାମ୍ବରମ ଆଭ୍ୟନ୍ତରୀଣ ସୁରକ୍ଷା ଉପକରଣକୁ ମରାମତି କରିବା ପାଇଁ ଏକ ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମାର୍ଚ୍ଚ ୨୦୦୯ରେ, ସାଗର ପ୍ରହରୀ ବଳଲ (ଏସପିବି) ବୃଦ୍ଧି କରାଯାଇଥିଲା। ଭାରତର ବିସ୍ତୃତ ଉପକୂଳବର୍ତ୍ତୀ ଅଞ୍ଚଳକୁ ତଦାରଖ ପାଇଁ ଫାଷ୍ଟ ଇଣ୍ଟରସେପ୍ଟର କ୍ରାଫ୍ଟ (ଏଫଆଇସି)ଆରମ୍ଭ କରାଯାଇଥିଲା। ଯାହା ପରେ ନୌସେନା ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରୁଛି।
ଏନଆଇଏ ଆଇନ ପ୍ରଣୟନ :
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ଆତଙ୍କବାଦ ସମ୍ବନ୍ଧୀୟ ମାମଲାଗୁଡ଼ିକର ଅନୁସନ୍ଧାନ ପାଇଁ ଏକ ଶକ୍ତିଶାଳୀ ଏଜେନ୍ସି ସୃଷ୍ଟି ହେଲା। ଯାହାର ନାମ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ରଖାଗଲା। ଏହି ଏଜେନ୍ସି ଆମେରିକାର ଏଫବିଆଇ ସହିତ ସମାନ। ସିବିଆଇ ଅପେକ୍ଷା ଏନଆଇଏ ଅଧିକ ଶକ୍ତିଶାଳୀ। ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କବାଦୀ କାର୍ଯ୍ୟକଳାପର ଅନୁସନ୍ଧାନ ତଥା ଦୋଷୀ ସାବ୍ୟସ୍ତ କରିବାର କ୍ଷମତା ଏନଆଇଏ ପାଖରେ ଅଛି। ଏହା ଏକ ସମ୍ପୂର୍ଣ୍ଣ ରୂପେ ସ୍ୱାଧିନ ସଂସ୍ଥା, ତେଣୁ ଏହା କାର୍ଯ୍ୟ ଉପରେ କେନ୍ଦ୍ର ସରକାର ମଧ୍ୟ ହସ୍ତକ୍ଷେପ କରି ପାରିବେ ନାହିଁ।
ଏନଏସଜିକୁ ମିଳିଲା ବିଶେଷ ଅଧିକାର :
ମୁମ୍ବାଇ ଆକ୍ରମଣ ସମୟର ଉଦ୍ଧାର କାର୍ଯ୍ୟ ଓ ଆତଙ୍କୀଙ୍କ ଦମନରେ ଏନଏସଜି ବା ନ୍ୟାସନାଲ ସେକ୍ୟୁରିଟି ଗାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲା। କିନ୍ତୁ ଏଥିପାଇଁ ଏନଏସଜିକୁ ଅନେକ ସଙ୍ଘର୍ଷ କରିଥିଲା। ଏପରିକି ସରକାରୀ ପ୍ରକ୍ରିୟାରେ ଅନେକ ଦୋଷ ତ୍ରୁଟି ପରିଲିକ୍ଷିତ ହୋଇଥିଲା। ଠକ୍ ସମୟରେ ବିମାନ ନ ମିଳିବାରୁ ମୁମ୍ବାଇ ଆସିବା ପାଇଁ ଏନଏସଜି କମାଣ୍ଡୋମାନେ ଆଠ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପୂର୍ବତନ ଏନଏସଜି ନିର୍ଦ୍ଦେଶକ ଜେ.କେ ଦତ୍ତ କହିଥିଲେ ଯେ, ବିମାନ ପାଇଁ ଅନୁମତି ଦେବାର ଅଧିକାର ତାଙ୍କର ନଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଏସଜି ନିର୍ଦ୍ଦେଶକ, ଭାରତରେ ପଞ୍ଜୀକୃତ ଯେକୌଣସି ଅପରେଟରଙ୍କଠାରୁ ବିମାନ ନେଇପାରିବେ।
ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ :
୨୬/୧୧ ଆକ୍ରମଣ ପରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଗୁଡିକ ଉପରେ ଭାରତର ଗୁପ୍ତଚର ସଂସ୍ଥା ତୀକ୍ଷ୍ଣ ନଜର ରଖିଛି। ବିଶେଷ କରି ପାକିସ୍ତାନରୁ ଇଣ୍ଟରନେଟ୍ ମାଧ୍ୟମରେ ପରିଚାଳିତ ହେଉଥିବା ଧାର୍ମିକ ନେଟୱାର୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଇଣ୍ଟରନେଟରେ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଏପରି ଏକ ସିଷ୍ଟମ ବିକଶିତ କରିଛନ୍ତି ଯାହା ଆତଙ୍କବାଦୀ ସଂଗଠନ ଗୁଡିକର କାର୍ଯ୍ୟକଳାପକୁ ଟ୍ରାକ କରିପାରୁଛି। ସୁରକ୍ଷା ଏବଂ ଗୁପ୍ତଚର ଏଜେନ୍ସି ମଧ୍ୟରେ ଯୋଗାଯୋଗ ଏବଂ ସୂଚନା ବ୍ୟବସ୍ଥାକୁ ମଜବୁତ କରାଯାଇଛି।
ବିଦେଶୀ ଏଜେନ୍ସି ସହ ଗୁପ୍ତଚର ତଥ୍ୟର ଆଦାନ ପ୍ରଦାନ :
୧୪ ବର୍ଷ ପରେ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ମୁମ୍ବାଇ ପୋଲିସ ଅଧିକ ପ୍ରସ୍ତୁତ ଅଛି। ମୁମ୍ବାଇ ପୋଲିସ ଏହାର ସିଷ୍ଟମ, ତାଲିମ ଏବଂ ଅସ୍ତ୍ରଶସ୍ତ୍ରରେ ଉନ୍ନତି ଆଣିଛି। ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସହିତ ମଧ୍ୟ ମୁମ୍ବାଇ ପୋଲିସ ସମନ୍ୱୟ ରକ୍ଷା କରିଛି। ଏଫବିଆଇ ଏବଂ ଏମଆଇ୬ ପରି ପ୍ରମୁଖ ପାଶ୍ଚାତ୍ୟ ଏଜେନ୍ସିଗୁଡିକ ସହିତ ଭାରତର ଗୁପ୍ତଚର ରିପୋର୍ଟର ଆଦାନପ୍ରଦାନ ପୂର୍ବାପେକ୍ଷା ବହୁତ ଭଲ ରହିଛି। କେବଳ ବିଦେଶୀ ସଂସ୍ଥା ନୁହଁ ଭାରତର ଗୁଇନ୍ଦା ଏବଂ ସୁରକ୍ଷା ଏଜେନ୍ସି ସହ ମଧ୍ୟ ମୁମ୍ବାଇ ପୋଲିସ ସମନ୍ୱୟ ରକ୍ଷା କରିବାରେ ସଫଳ ହୋଇଛି।
