ବାଲେଶ୍ୱର : ଆଜି ୧୮ରୁ୪୪ବର୍ଷଙ୍କ କରୋନା ଟିକାକରଣ ଆରମ୍ଭ
ବାଲେଶ୍ୱର : ବିଭିନ୍ନ ମହଲର ଦୀର୍ଘଦିନର ଦାବି ପରେ ବାଲେଶ୍ୱର ଜିଲାରେ ମଙ୍ଗଳବାର୧୮ରୁ ୪୪ ବର୍ଷ ବୟସର ଯୁବବର୍ଗଙ୍କୁ କୋଭିଡ ଟିକା ପ୍ରଦାନ ଶୁଭାରମ୍ଭ ହୋଇଛି । ପ୍ରଥମଥର ପାଇଁ ବାଲେଶ୍ୱର ସହରର ଗାନ୍ଧୀସ୍ମୃତି ଭବନ, ଟାଉନ ହାଇସ୍କୁଲ, ସହଦେବଖୁଣ୍ଟାର ମ୍ୟୁନିସିପାଲ ହାଇସ୍କୁଲ, ଶୋଭାରମପୁରର ବାଲେଶ୍ୱର କଲେଜ ଓ ଶୋଭାରାମପୁର ନୋଡାଲ ସ୍କୁଲ, ସୁନହଟର ଶକୁନ୍ତଳା ହାଇସ୍କୁଲ, ସରକାରୀ ଆଇଟିଆଇ ଏବଂ ବାଲେଶ୍ୱର ଜିଲା ସ୍କୁଲ ପ୍ରଭୃତି ୮ ଗୋଟି କେନ୍ଦ୍ରରେ ଆଜି ସକାଳଠାରୁ ଆରମ୍ଭ ହୋଇଥିଲା ଟିକାଦାନ ।
ପୂର୍ବରୁ ଅନଲାଇନରେ ପଞ୍ଜୀକରଣ କରି ସ୍ଲଡ ଚିରକୁଟ ପାଇଥିବା ୧୮ରୁ ୪୪ ବର୍ଷର ଯୁବକ ଓ ମହିଳାମାନେ ଟିକା ନେଇଥିବା ଲକ୍ଷ୍ୟ କରାଯାଇଥିଲା । ତେବେ ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଟିକାକରଣ ବେଳେ ପୂର୍ବରୁ ଉପୁଜିଥିବା ଜନଗହଳି ଯୁବବର୍ଗ ଟିକାକରଣରେ ଦେଖିବାକୁ ମିଳିନଥିଲା । କାଁଭାଁ ଗୋଟିଏ କି ଦୁଇଟି କେନ୍ଦ୍ରରେ ଲୋକେ ଲାଇନରେ ଛିଡ଼ା ହୋଇ ଟିକା ନେଉଥିବା ବେଳେ ବାକି ସମସ୍ତ କେନ୍ଦ୍ର ସମ୍ପୂର୍ଣ୍ଣ ଫାଙ୍କା ରହିଥିଲା । ଯୁବକ ଯୁବତୀମାନେ ସହଜରେ ଯାଇ ଟିକା ନେଇ ପାରୁଥିଲେ । ପ୍ରଥମ ଦିନରେ ୮ ଗୋଟି କେନ୍ଦ୍ରରେ ମୋଟ ୨୮ଶହ ଯୁବକ ଯୁବତୀ ଟିକା ନେଇଥିବା ଜଣାପଡ଼ିଛି । ଆସନ୍ତାକାଲି, ୧୧ ଓ ୧୨ ତାରିଖରେ ଏହି ଟିକାକରଣ ଜାରି ରହିବ । ପ୍ରଥମ ପର୍ଯ୍ୟାୟର ୪ ଦିନ ମଧ୍ୟରେ ମୋଟ ୧୨ ହଜାର ଯୁବବର୍ଗଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦ୍ଦେବ ସୂଚନା ଦେଇଛନ୍ତି । ଏହା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ୫ ଗୋଟି ପର୍ଯ୍ୟାୟରେ ତଥା ଦେଢ଼ମାସ ମଧ୍ୟରେ ବାଲେଶ୍ୱର ସହରର ୬୦ ହଜାର ଯୁବବର୍ଗଙ୍କ ଟିକାକରଣ ସମ୍ପନ୍ନ ହୋଇଯିବ ବୋଲି ଆଶା କରାଯାଉଛି । ପରବର୍ତ୍ତୀ ସମୟରେ ଜିଲାର ଅନ୍ୟାନ୍ୟ ସହରାଞ୍ଚଳ ଓ ବ୍ଲକ ସ୍ତରରେ ବି ଏହି ଯୁବବର୍ଗ ଟିକାକରଣ ଆରମ୍ଭ ହେବ ବୋଲି ସିଡିଏମଓ ଡାକ୍ତର ଜଗଦ୍ଦେବ କହିଛନ୍ତି ।
