୧୩ରୁ ଯୁକ୍ତ ୩ ଓ ୧୭ରୁ ପିଜି ପ୍ରଥମ ବର୍ଷ ପାଠପଢା
ଭୁବନେଶ୍ୱର : ଆସନ୍ତା ୧୩ ତାରିଖରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ସେହିପରି ୧୭ ତାରିଖରୁ ପିଜି ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶୁକ୍ରବାର ଦିନ ସମସ୍ତ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ଓ ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ଏଥିସହ ସେହି ଦିନ ଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା କରିବାକୁ ଚିଠିରେ କୁହାଯାଇଛି । ସୂଚନା ଯେ, କୋଭିଡ୍ କଟକଣା ପରେ ପ୍ରଥମଥର ପାଇଁ ଚଳିତବର୍ଷ ଶ୍ରେଣୀ ଗୃହରେ ସ୍ୱାଭାବିକ ପାଠପଢ଼ା ହେବାକୁ ଯାଉଛି ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହରେ ପାଠପଢ଼ା ଚଳିତମାସ ୧୩ତାରିଖରୁ ଆରମ୍ଭ ହେବ । ଯୁକ୍ତ ତିନି ଓ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କର କଲେଜ ଶ୍ରେଣୀଗୃହରେ ଅକ୍ଟୋବର ୧୩ରୁ ପାଠପଢ଼ା ଆରମ୍ଭ ହେବ । ସେହିପରି ୨୦୨୨-୨୩ ପିଜି ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ କ୍ଲାସ ଅକ୍ଟୋବର ୧୭ରୁ ଆରମ୍ଭ ହେବ । ଯେଉଁ ପିଲାମାନେ ହଷ୍ଟେଲରେ ରହିବା ପାଇଁ ଆବେଦନ କରିଥିବେ ସେମାନଙ୍କୁ ସେବେଠୁ ହଷ୍ଟେଲ ସୁବିଧା ମଧ୍ୟ କଲେଜ କର୍ତ୍ତୃପକ୍ଷ ଯୋଗାଇ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
