ବରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ
ବରଗଡ଼ : ବରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଶନିବାର ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବରଗଡ଼ ସହରରେ ବନ୍ଦ ପାଳନ । ଛାତ୍ର ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବି । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ଓ ଦୋକାନ ବଜାର ବନ୍ଦ । ଯାନବାହାନ ଚଳାଚଳରେ ବି ବ୍ୟାହତ ଘଟିଛି।
ସୂଚନା ଯେ, ବରଗଡ଼ ସହର ନିକଟସ୍ଥ ପ୍ରଧାନପାଲି ନିବାସୀ ଉମେଶ ଚନ୍ଦ୍ର ସାହୁଙ୍କ ପୁଅ ଆଦିତ୍ୟ ରାଜ୍ (୬ବର୍ଷ)ଙ୍କ ଗତ ୨୨ ତାରିଖ ରାତିରେ ପରଲୋକ ଘଟିଥିଲା। ସେ ବିକାଶ ଫାଷ୍ଟ ଷ୍ଟେପ୍ ସ୍କୁଲ୍ର ପ୍ରଥମ ଶ୍ରେଣୀ ଛାତ୍ର ଥିଲେ। ପିତା ଉମେଶଙ୍କ ଅଭିଯୋଗ ଅନୁସାରେ, ଆଦିତ୍ୟ ବିକାଶ ଫାଷ୍ଟଷ୍ଟେପ୍ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଗତ ୨୦ ତାରିଖ ଦିନ ବେଳେ ସ୍କୁଲ୍ ପରିସରରେ ଖେଳୁଥିବାବେଳେ ଆଦିତ୍ୟ ଖସି ପଡ଼ିଥିଲେ। ଆଦିତ୍ୟଙ୍କ ମୁଣ୍ଡର ଡାହାଣ ପାର୍ଶ୍ବରେ ଆଘାତ ଲାଗିଛି ବୋଲି ସ୍କୁଲ କର୍ତୃପକ୍ଷ ସୂଚନା ଦେଇଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ୨୧ ତାରିଖରୁ ଆଦିତ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଛାତିରେ ଯନ୍ତ୍ରଣା ଲାଗି ରହିଥିଲା। ଯଦି ସ୍କୁଲ କର୍ତୃପକ୍ଷ ଅବହେଳା କରିନଥାନ୍ତେ ଏବଂ ଉପଯୁକ୍ତ ଚିକିତ୍ସା ହୋଇଥାନ୍ତା, ତେବେ ଆଦିତ୍ୟଙ୍କ ଜୀବନ ବଂଚି ଯାଇଥାନ୍ତା ବୋଲି ପରିବାରଲୋକେ ଅଭିଯୋଗ କରିଥିଲେ । ଏହାକୁ ନେଇ ଅଭିଭାବକ ସଂଘ ପକ୍ଷରୁ ଶନିବାର ବରଗଡ଼ ସହର ବନ୍ଦ ଡାକରା ଦିଆଯାଇ ଥିଲା। ଏହାକୁ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ବରଗଡ଼ ଜିଲା ଓକିଲ ସଂଘ ଶୁକ୍ରବାର ନିଜ ବୈଠକ ପରେ ବନ୍ଦକୁ ନିଜ ସମର୍ଥନ ନେଇ ବିଧିବଦ୍ଧ ଭାବେ ଜଣାଇବ। ବନ୍ଦ ପାଳନ ବେଳେ ସମସ୍ତ ସରକାରୀ ଓ ଘରୋଇ ଦପ୍ତର, ଶିକ୍ଷାନୁଷ୍ଠାନ ସମେତ ଦୋକାନ ବଜାର ଏବଂ ଗାଡ଼ି ଚଳାଚଳ ବନ୍ଦ କରିବାକୁ ସ୍ଥିର ହୋଇଥିଲା।
