ଶହୀଦ ବାଘାଯତୀନଙ୍କର ୧୦୭ତମ ସ୍ମୃତି ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ସହର ଓ ଚଷାଖଣ୍ଡ ଦେଶୁଆଁ ପୋଖରୀ ଠାରେ ଶହୀଦ ବାଘାଯତୀନଙ୍କର ୧୦୭ତମ ସ୍ମୃତି ଦିବସ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି । ସହରରେ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବାରବାଟୀ ବାଳିକା ବିଦ୍ୟାଳୟରେ ପହଞ୍ଚିଥିଲେ ବିଶିଷ୍ଟ ଅତିଥି ଗଣ । ଅତିଥିମାନଙ୍କ ମଧ୍ୟରେ ଥିଲେ ଆଦିବାସୀ ଓ ହରିଜନ ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ଶ୍ରମ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ବାଘାଯତୀନ ଉନ୍ନୟନ କମିଟିର ସଭାପତି ତଥା ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, କାର୍ଯ୍ୟକାରୀ ସଭାପତି ସୁଜିତ କୁମାର ଦେବ, ସାଧାରଣ ସମ୍ପାଦକ ହରେନ ଚନ୍ଦ୍ର ରଣା, ପଶ୍ଚିମବଙ୍ଗଳାରୁ ଆମନ୍ତ୍ରିତ ଅତିଥି ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ । ସମସ୍ତ ଅତିଥି ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କଲା ପରେ ୧୦୭ଟି ଦୀପ ପ୍ରଜ୍ୱଳନ କରି ଅବସରକୁ ଉଦ୍ଘାଟନ କରି ପ୍ରାଙ୍ଗଣରେ ଅବସ୍ଥାପିତ ବାଘାଯତୀନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ତତ୍ପରେ ଆୟୋଜିତ ସଭାରେ ବିଶିଷ୍ଟ ଅତିଥିଗଣ ଶହୀଦ ବାଘାଯତୀନ ଓ ୪ଜଣ ସଙ୍ଗୀ ସଙ୍ଗ୍ରାମୀଙ୍କର ବୀରତ୍ୱର ଗାଥା ଅବତାରଣା କରିଥିଲେ । ନିର୍ଭିକ ବାଘାଯତୀନ ଯଥାର୍ଥରେ ଥିଲେ ପ୍ରଚଣ୍ଡ ବୀର । ବାଘାଯତୀନଙ୍କର ସ୍ମୃତିରେ ଆୟୋଜିତ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସ୍ଥାନୀୟ ବାଘାଯତୀନ କ୍ଲବ ଠାରେ ଏକ ରକ୍ତଦାନ ଶିବିରକୁ ଅତିଥିମାନେ ଉଦ୍ଘାଟନ କରିଥିଲେ । ଏହି ଶିବିରରୁ ମୋଟ୍ ୫୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।
ପରେ ଚଷାଖଣ୍ଡର ଦେଶୁଆଁ ପୋଖରୀ ଠାରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସହ ଜିଲାପାଳ ଶ୍ରୀ ଶିନ୍ଦେ, ଅନ୍ୟ ବିଶିଷ୍ଟ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ମିଳିତ ହୋଇ ଜାତୀୟ ପତାକା ଉତ୍ତୋଳନ ସହିତ ଶହୀଦମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ୱଳନ, ପୋଲିସ ବାହିନୀ ଦ୍ୱାରା ଶହୀଦ ସଲାମି ଆଦି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଆୟୋଜିତ ସ୍ମୃତିଚାଣ ସଭାରେ ବିଶିଷ୍ଟ ଅତିଥିମାନେ ଶହୀଦ ବାଘାଯତୀନଙ୍କର ଅସୀମ ପରାକାଷ୍ଠାର ସ୍ମୃତିକୁ ଉନ୍ନିବୀତ କରିବା ସହ କୃତୀ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।
