ଜାଲ୍ ଚାକିରି କାଗଜପତ୍ରରେ ୧ କୋଟି ୬ ଲକ୍ଷ ଋଣ ଘଟଣା : ୯ ବର୍ଷ ପରେ ଛଅ ଗିରଫ
କଟକ : ଜଳସଂପଦ ବିଭାଗ ଜଳ ବିଭାଜିକା କର୍ମଚାରୀ ଦର୍ଶାଇ ୧ କୋଟି ୬ ଲକ୍ଷ ଟଙ୍କା ଋଣ ନେଇଥିବା ଘଟଣାରେ ଜଗତପୁର ପୋଲିସ ଘଟଣାର ୯ ବର୍ଷ ପରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଗଣ୍ଡରପୁର ଜଳ ବିଭାଜିକା(ଡ୍ରେନେଜ୍)ର ଅବସରପ୍ରାପ୍ତ ଏଷ୍ଟାବ୍ଲିଶମେଣ୍ଟ ଅଫିସର୍ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସୋମନାଥପୁରର ରବୀନ୍ଦ୍ର କୁମାର ଜେନା(୬୭), ସ୍ଥାନୀୟ ଲକ୍ଷ୍ମୀନାରାୟଣପୁରର ନିମାଇଁ ଚରଣ ବାରିକ(୬୦), ମଧୁସୂଦନ ବେହେରା(୬୯), ଶ୍ରୀଧର ବାରିକ(୬୨), ବହୁଗ୍ରାମର କିଶୋର କୁମାର ରାଉତରାୟ(୪୦) ଓ ସତ୍ୟଭାମାପୁରର ପୂର୍ଣ୍ଣଚନ୍ଦ୍ର ସାହୁ(୫୨) । ମିଳିଥିବା ସୂଚନା ଅନୁଯାୟୀ ଗଣ୍ଡରପୁର ଜଳ ବିଭାଜିକା ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ୪୫ ଜଣ କର୍ମଚାରୀ ସେମାନଙ୍କ ଦରମା ଉଠାଣ ପାଇଁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିମପୁର ଶାଖାରେ ସଂଚୟ ଖାତା ଖୋଲାଯାଇଥିଲା । ଏଷ୍ଟାବ୍ଲିଶମେଣ୍ଟ ଅଫିସର୍ ରବୀନ୍ଦ୍ର କୁମାର ଜେନାଙ୍କ ରିପୋର୍ଟ ଓ ଦରମା କାଗଜାତରେ ଏହି ଆକାଉଣ୍ଟ ଖୋଲାଯାଇଥିଲା । ଏମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ୧୧-୪-୧୨ରୁ ୨୨-୫-୧୨ ମଧ୍ୟରେ ବ୍ୟକ୍ତିଗତ ଋଣ ମାଧ୍ୟମରେ ୧ କୋଟି ୬ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଋଣୀ ଗୋଟିଏ ବା ଦୁଇଟି କିସ୍ତି ପ୍ରଦାନ ପରେ ଆଉ ପୈଠ ନ କରିବାରୁ ବ୍ୟାଙ୍କ ପକ୍ଷରୁ ତାଗିଦା କରାଯିବା ସହ ଖୋଳତାଡ ଆରମ୍ଭ ହୋଇଥିଲା । ସେ ସମୟରେ ସମସ୍ତ କାଗଜପତ୍ର ଜାଲ ବୋଲି ଜଣାପଡିବା ପରେ ତତ୍କାଳୀନ ବ୍ୟାଙ୍କ ଶାଖା ପରିଚାଳକ ଦେବାଶିଷ ସାହୁ ୧ କୋଟି ୭୬ ଲକ୍ଷ ୨୫୨ ଟଙ୍କା ବକେୟା ଥିବା ନେଇ ୩୧-୫-୨୦୧୩ରେ ଅଭିଯୋଗ କରିଥିଲେ । ତଦନୁଯାୟୀ ୯୯/୨୦୧୩ରେ ଆଇପିସି ୪୧୯, ୪୨୦, ୪୬୮, ୪୭୧, ୧୨୦(ଖ)ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଆଜି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
